ବାଲେଶ୍ୱର ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଛାତ୍ର ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଚିତ୍ର। ଜିଲ୍ଲାର ଅନେକ କଲେଜରେ ବିଜୁ ଛାତ୍ର ଜନତା ଦଳ (BCJD) ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଖଇରା କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସମର୍ଥିତ ସମସ୍ତ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି।
ଖଇରା କଲେଜରେ ABVP ସମର୍ଥିତ ସଭାପତି ପ୍ରାର୍ଥୀ ଶ୍ରୀତମ ଦାସ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ମାନସପ୍ରୀତମ ଲେଙ୍କାଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ବିଜୟୀ ହୋଇଛନ୍ତି। BCJD ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରି ଖଇରା କଲେଜରେ ABVP ନିଜର ଦବଦବା ଜାହିର କରିଛି। ସଭାପତି ଓ ସାଧାରଣ ସମ୍ପାଦକ ପଦରେ ABVP ପ୍ରାର୍ଥୀମାନେ ପ୍ରାୟ ୧୮୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ ଔପଦା, ସିମୁଳିଆ ଓ ସୋର କଲେଜରେ BCJD ସମର୍ଥିତ ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ଔପଦା କଲେଜରେ ସଭାପତି ପଦ ପାଇଁ କମଳାକାନ୍ତ ଜେନା ଓ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ମଳ ବେହେରା ବିଜୟୀ ହୋଇଛନ୍ତି। ଏଠାରେ ଉଭୟ ପଦର BCJD ସମର୍ଥିତ ପ୍ରାର୍ଥୀମାନେ ABVP ପ୍ରାର୍ଥୀଙ୍କଠାରୁ ୧୫୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ଜଣାପଡ଼ିଛି।
ଗୋଟିଏ ପଟେ ଖଇରା କଲେଜରେ ABVPର ସମସ୍ତ ପ୍ରାର୍ଥୀଙ୍କ ବିଜୟ, ଅନ୍ୟପଟେ ଔପଦା, ସିମୁଳିଆ ଓ ସୋର କଲେଜରେ BCJDର ସଫଳତା—ବାଲେଶ୍ୱର ଜିଲ୍ଲାର ଛାତ୍ର ରାଜନୀତିରେ ଏହି ନିର୍ବାଚନ ଫଳାଫଳ ଏକ ରୋଚକ ପ୍ରତିଯୋଗିତାର ଚିତ୍ର ସାମ୍ନାକୁ ଆଣିଛି।


